" ବହି ପାଠକ ବିନା ଶୁଖା କାଗଜ ଯେଉଁଥିରେ କିଛି କାଳିଦାଗ ଲାଗିଛି। ଲେଖକ ଶଦ୍ଦ କଳ୍ପଚିତ୍ର ସୃଷ୍ଟି କରେ, କିନ୍ତୁ ସେ ଚିତ୍ର ଜୀବନ୍ତ ହୁଏ ଯେବେ ପାଠକ ସେ ଶଦ୍ଦରାଜି ନିଜ ଭିତରକୁ ପ୍ରବେଶ କରାଏ।"
ବହି କଣ ତାହା ମୁଁ ସାତ ବର୍ଷ ବୟସରେ ଜାଣିପାରିଲି- ବହିରେ ସନ୍ନିବେଶିତ ଶବ୍ଦ-ସ୍ୱପ୍ନ ସବୁ ମତେ ବଶୀଭୂତ କରିନେଲେ।
ଦେହ ଅସୁସ୍ଥ ରହୁଥିବା ହେତୁ ମୁଁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ା ଠିକଭାବେ ଆରମ୍ଭ କରିପାରିନଥିଲି। ଏହି ଅବସ୍ଥାରେ ବାପାଙ୍କର ବଦଳି ହେଲା ବଲାଙ୍ଗୀରକୁ। ଚତୁର୍ଥ ଶ୍ରେଣୀରେ ନାମଲେଖା ପରୀକ୍ଷା ହେଲା -ବଲାଙ୍ଗୀର ସହରର ସରକାରୀ ମାଇନର ସ୍କୁଲରେ। ସବୁ ବିଷୟରେ ମୁଁ ଶୂନ୍ୟ ପାଇଲି -ଅଙ୍କ ତଥା ଓଡ଼ିଆ ପରୀକ୍ଷାରେ। ତଥାପି ସେତେବେଳେ ଏତେ ଭିଡ଼ ନଥିଲା, ଏବଂ ବାପା ଜିଲ୍ଲାସ୍ତରୀୟ ଅଫିସର ଥିଲେ। ତାଙ୍କ ସଙ୍ଗେ କାମ କରୁଥିବା ଯୋଗାଡ଼ିଆ ଲୋକମାନେ କୌଣସିମତେ ମୋର ନାମ ଲେଖାଇ ଦେଲେ। ଶ୍ରେଣୀ ଶିକ୍ଷକ ପ୍ରବଳ ପ୍ରତାପୀ ସୁଦର୍ଶନ ପୁରୋହିତ ସାର୍। ସ୍କୁଲ ଯିବାର ପ୍ରଥମ ସପ୍ତାହରେ ଗୋଟିଏ ଅଙ୍କ ଭୁଲ କରିଦେଲି -ପୁରୋହିତ ସାର୍ ଗୋଟିଏ ଚାପୁଡ଼ା ପକାଇଲେ। ମୋ ପ୍ୟାଣ୍ଟ ଓଦା ହୋଇଗଲା। ମୁଁ ଘରକୁ ଧାଇଁ ପଳାଇଲି, ଆଉ ସ୍କୁଲ ଗଲିନାହିଁ। ବାପାଙ୍କୁ ଘରର ଭାଇଭଉଣୀଙ୍କ ଗହଳି ମଧ୍ୟରେ ଜାଣିବାକୁ ସମୟ ଲାଗିଗଲା ଯେ ତାଙ୍କ ଦୁର୍ବଳିଆ ପୁଅ ମାଡ଼ ଭୟରେ ସ୍କୁଲ ଯାଉନାହିଁ।
ବାପା ଜିଲ୍ଲା ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ। ଅବକାରୀ ବିଭାଗର ସହକର୍ମୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଅଧିକ। ସମସ୍ତଙ୍କ ସକାଶେ ଆମ ଘରେ ଗୋଟିଏ ଚାହା ଭୋଜି ଅନୁଷ୍ଠିତ ହେଲା; ଆମ ସ୍କୁଲର ସବୁ ବିଶିଷ୍ଟ ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରାଗଲା। ପୁରୋହିତ ସାର୍ ହସିଦେଇ ମତେ କାଖରେ ଉଠାଇନେଲେ। ବାପା ଶିଖାଇଥିବା ଭଜନ `ଭବସାଗର ତାରଣ କାରଣ ହେ` ଗାଇଲି -ପ୍ରଧାନ ଶିକ୍ଷକ ମିତ୍ରସାର୍ ପ୍ରଶଂସା କଲେ। ମୋର ଡର ଭାଙ୍ଗିଗଲା।
ବାପା କଟକ ଟୁରରେ ଗଲେ, ଫେରିଲେ ଏକଟଙ୍କା ଖର୍ଚ୍ଚକରି ଘର ପାଇଁ ପାଇଁ ଚାରିଗୋଟି ଚଟି ପୁସ୍ତିକା ସହିତ - `ବଡ଼ ମଣିଷଙ୍କ ପିଲାଦିନ`- କୁଳବୃଦ୍ଧ ମଧୁସୂଦନ, ପଣ୍ଡିତ ଗୋପବନ୍ଧୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକିରମୋହନଙ୍କ ଜୀବନୀ- ବିଶେଷ ଭାବରେ ତାଙ୍କ ପିଲାଦିନ ତଥା ଯୌବନରେ ଘଟିଥିବା ସ୍ମରଣୀୟ ଘଟଣାର ଗଳ୍ପ। ମୁଁ ସେ ଚାରିଟିଯାକ ବହି ପଢ଼ିଲି। ଗପ ପରି ସେ କଥା ସବୁ ମତେ ବହୁତ୍ ଭଲ ଲାଗିଲେ। ବହି ପଢ଼ିବା ନିଶା ମତେ ଏତେ ଘାରିଗଲା ଯେ ମୁଁ ଗପବହି ଖୋଜି ଖୋଜି ପଢ଼ିବାରେ ଲାଗିଲି । ସେତେବେଳେ ଏତେ ବହିପତ୍ର ନଥିଲା। ଇଂରେଜୀ ଜଣା ନଥିଲା -ତେଣୁ ବାପା ବା ବଡ଼ଭାଇଙ୍କ ବହି ପଢ଼ିବା ଅସମ୍ଭବ। ବଡ଼ ଭଉଣୀଙ୍କ ଇତିହାସ ବହି ଆଣି ଗପପରି ପଢ଼ିଦେଲି। ବଜାରରୁ ସଉଦା ଆସିଲେ ଖବରକାଗଜ ଠୁଙ୍ଗା ଚିରି ଗପ ଥିଲେ ପଢ଼ିବାକୁ ଚେଷ୍ଟାକଲି। ପାଖ ପଡ଼ିଶାଙ୍କ ଘରକୁ ଯାଇ ଲଜ୍ଜାଛାଡ଼ି `ଗୋଟିଏ ଗପବହି ଦିଅ` ବୋଲି ମାଗିଲି। ଷଢ଼ମାସିକ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କଲି। ବାପାଙ୍କର ପଦୋନ୍ନତି ହୋଇ କଟକ ବଦଳି ହେଲା। ଆମେ ପହଞ୍ଚିଲୁ ୨୯ କ୍ୟାଣ୍ଟନମେଣ୍ଟ ରୋଡ, ଶ୍ରୀଯୁକ୍ତ ରମେଶଚନ୍ଦ୍ର ରଥଙ୍କ (ଅବସର ପ୍ରାପ୍ତ ଆଇ.ଏ.ଏସ୍) ଘରର କିଛି ଅଂଶରେ ଭଡ଼ାରେ ରହିଲୁ। ବିରାଟ ହତା, ଫୁଲଫଳଗଛରେ ଭରା, ଅନେକ ଚଢ଼େଇ। ଏସବୁ ବହୁତ ଭଲଲାଗିଲା; କିନ୍ତୁ ବହିଖୋଜା ଲାଗିରହିଲା। ରଥ ସାହେବଙ୍କ ଘରେ ଥିବା ଅଳ୍ପ ଓଡ଼ିଆ ବହି ଶୀଘ୍ର ସରିଗଲା।
ବଡ଼ଭାଇ ନମସ୍ୟ ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ପାଖେ ଅନେକ ବହି -ବେଶି ଇଂରେଜୀରେ। ଆମ ମିଶନ୍ ସ୍କୁଲ (ପରେ ଖ୍ରୀଷ୍ଟ କଲେଜିଏଟ) ଲାଇବ୍ରେରୀରୁ ସପ୍ତାହରେ ଖଣ୍ଡେ ପତଳା ବହି ମିଳେ। କିନ୍ତୁ ଚତୁର୍ଥ ଶ୍ରେଣୀରୁ ଇଂରେଜୀ କିଛି ପଢ଼ିବା ଆରମ୍ଭ କରାଯାଇଥାଏ। ଠାସକୁ ଲଗାଇ ଇଂରେଜୀ ବହି ପଢ଼ିବାକୁ ଚେଷ୍ଟା କରୁଥାଏ।
ପଡ଼ିଶା ହତାରେ ରେଭିନ୍ୟୁ ଡିଭିଜନାଲ କମିଶନର ଶ୍ରୀଯୁକ୍ତ ବ୍ରଜସୁନ୍ଦର ମହାନ୍ତିଙ୍କ କୋଠୀ। ତାଙ୍କ ଘରେ ଅନେକ ପୁଅଝିଅ ଏବଂ ଅନେକ ବହି ମଧ୍ୟ। ମୋର ବିଶେଷ କରି ମନେଅଛି -Wide Wide World ବୋଲି ଗୋଟିଏ ଅତି ଚମତ୍କାର ପତ୍ରିକା । ମହାନ୍ତି ସାହେବ ତା`ର ପୁରୁଣା କପିସବୁ ବନ୍ଧାଇ ରଖିଥିଲେ। ତାଙ୍କ ବଡ ପୁଅ ଭାଇଙ୍କୁ ପଢ଼ିବାକୁ ଦେଲେ -ଦ୍ୱିପ୍ରହରରେ ସନ୍ତର୍ପଣରେ ଆଣି ମୁଁ ତାହା ସବୁ ପଢ଼ିଗଲି -ଆସ୍ତେ ଆସ୍ତେ ବୁଝିଗଲି ମଧ୍ୟ। ଏହି ସମୟରେ ପଢିଲି ` ପଞ୍ଚମୀ `; ପ୍ରଜାତନ୍ତ୍ର ସମିତି ଗଲ୍ପ ପ୍ରତିଯୋଗିତାରେ ପୁରସ୍କୃତ ପାଞ୍ଚଟି ଗଳ୍ପର ସଂକଳନ i ପ୍ରଥମ ଗପ `ବଉଳି` - ଗୋଟିଏ ଗାଈ ଓ ତାକୁ ପାଳିଥିବା ସ୍ତ୍ରୀ ଲୋକର ଅପୂର୍ବ ସ୍ନେହ - ଓଡ଼ିଆ ଭାବ ପ୍ରବଣତା ପୂର୍ଣ୍ଣ ସାହିତ୍ୟ। କିନ୍ତୁ ଦ୍ୱିତୀୟ ଗଲ୍ପ ମୋ ପାଇଁ ସେ ବୟସରେ ମଧ୍ୟ ସୃଷ୍ଟି କଲା ନିର୍ଣ୍ଣୟ କରିବା ଶକ୍ତି- ପ୍ରକୃତ ଗପ କଣ ! - ନାମ `ମହାଯୁଦ୍ଧ`- ଲେଖକ ବୋଧ ହୁଏ ମାନନୀୟ ବାମା ଚରଣ ମିତ୍ର।
ଏହି ସମୟରେ ବାଲିଯାତ୍ରା ଆରମ୍ଭ ହୋଇଗଲା। ମତେ ମୋ ମା ଅନ୍ୟମାନଙ୍କଠାରୁ ଲୁଚାଇ କରି ଗୋଟିଏ ଟଙ୍କା ଦେଲେ । ମୁଁ ତ ସ୍କୁଲ ଯାଉନଥାଏ। ଦିନ ଦ୍ୱିପ୍ରହରରେ ସେ ଟଙ୍କାଟିକୁ ଧରି ମୁଁ ଯାତ୍ରା ପଡ଼ିଆରେ ଯାଇ ପହଞ୍ଚିଲି। ମୋର ଚିରଦିନ ପେଟ ଖରାପ -ତେଣୁ ଖାଇବା ଦୋକାନ ଆଦି ଛାଡ଼ି ମୁଁ ପଛପଟକୁ ନିରୋଳାରେ ଥିବା ବହିଦୋକାନ ଧାଡ଼ିରେ ପହଞ୍ଚିଲି। ସାହସ ହେଉନଥାଏ; ତଥାପି ଭିଡ଼ ନଥିବା ହେତୁ ସେ ଦୋକାନମାନଙ୍କ ପାଖେ ଠିଆ ହୋଇଥାଏ। ମଝିରେ ମଝିରେ ଜଣେ ଅଧେ ଆସି ବହିଟିଏ ଓଲଟାଇ ଦେଖୁଥାନ୍ତି -କେହି କିଛି କିଣୁଥାନ୍ତି -ବାକୀ ନକିଣି ସେପରି ଥୋଇଦେଇ ଚାଲିଯାଉଥାନ୍ତି; ସେମାନେ ସବୁ ବୟସ୍କ -ତାଙ୍କର ସେପରି କରିବାର ଅଧିକାର ଅଛି -ମୋର ଅଛି କି? ମାତ୍ର ଗୋଟିଏ ଟଙ୍କା, ୧୯୫୫ ମସିହାରେ ଗୋଟିଏ ଟଙ୍କାର ମଧ୍ୟ ମୂଲ୍ୟ ଥିଲା। ମୁଁ ସାହସ କରି ସବୁଠାରୁ ବଡ଼ ବହି ଦୋକାନରେ ପଶି ବହି ଦେଖିବା ଆରମ୍ଭ କଲି। କର୍ମଚାରୀ ମୋ ଆଡ଼କୁ ଉହୁଙ୍କି ଆସୁଥିଲେ -ମାଲିକ ହେବେ ବୋଧହୁଏ -ସେ ବାରଣ କଲେ। ମୁଁ କିଛି ବହି ଦେଖୁ ଦେଖୁ ଗପବହି ଥାକ ଉପରେ ନଜର ପଡ଼ିଗଲା। `କଥା ସଂଗ୍ରହ` ଖୋଲି ପଢ଼ୁ ପଢ଼ୁ ଭୋଳ ହୋଇଗଲି- ସେମିତି ଠିଆହୋଇ ଗୋଟିଏ ପରେ ଗୋଟିଏ ଗପ ପଢ଼ି ଚାଲିଲି। ଦୁଇ ଘଣ୍ଟା ବା ଅଧିକ ସମୟ ବିତିଗଲା। ସଂଧ୍ୟା ହୋଇ ଆସିଲା। ଅନ୍ଧାର ହେବାରୁ ବଲବ ଜଳିଲା; ମୋର ହୋସ ଆସିଲା ଯେ ମୁଁ ଏପରି କରିବା ବୋଧହୁଏ ଅସମୀଚୀନ, ଏବଂ ଅପମାନଜନକ ମଧ୍ୟ ହୋଇପାରେ। ମୁଁ ସଂକୁଚିତ ହୋଇ ମାଲିକଙ୍କ ପାଖକୁ ଯାଇ କହିଲି -ମୋ ପାଖେ ଗୋଟିଏ ଟଙ୍କା ମାତ୍ର ଅଛି। ଏ ବହିର ଦାମ ଅଢ଼େଇ ଟଙ୍କା। ମତେ ଅନୁମତି ଦେଲେ ମୁଁ ଏହିପରି ଏବେ ଆଉ ଘଣ୍ଟାକରେ ବହିଟି ପଢି ଥାକରେ ରଖିଦେବି। ଏ ଟଙ୍କାଟି ଆପଣ ରଖନ୍ତୁ। ସେ କିଛି ମନାକଲେ ନାହିଁ। ମୁଁ ସେହିପରି ପଛପଟକୁ ତଳେ ବସି ବହିଟି ପଢ଼ି ଚାଲିଲି। ବହିର ଗପସବୁ ପଢ଼ା ସରିଲା -ଯାହା ମୋର ମନେପଡ଼ୁଛି ସେଥିର ଶେଷ ଗପ ଥିଲା ଶ୍ରୀଯୁକ୍ତ କାଳନ୍ଦୀଚରଣ ପାଣିଗ୍ରାହୀଙ୍କ `ସାଗରିକା` ଗଳ୍ପ। ମୁଁ ବହିଟି ଯତ୍ନରେ ଥାକରେ ଥୋଇ ଦୋକାନ ଆଗକୁ ଆସିଲି। ମାଲିକ ମତେ ଅଟକାଇଲେ। କହିଲେ, `ଏ ସିଙ୍ଗଡ଼ାଟି ଖାଅ। ତୁମ ଟଙ୍କାଟି ରଖ।` ମୁଁ ଧୀରେ କହିଲି, `ମୋର ବେଶି ପେଟ ଖରାପ ରୁହେ। ବଜାର ଜଳଖିଆ ଖାଇବାକୁ ବାପା ମନା କରିଛନ୍ତି`। ସେ ହସି ପକାଇଲେ, ବାପାଙ୍କ ନାମ ପଚାରି ଶୁଣି ଖୁସି ହୋଇ କହିଲେ, `ଆମ ହୋତାଙ୍କ ପୁ୍ଅ; ତୁମ ବଡ଼ଭାଇ ବହୁତ ଭଲ ଛାତ୍ର।(ସେ କାଳରେ ଭଲ ଛାତ୍ରଙ୍କ ଚର୍ଚ୍ଚା ଘରେଘରେ ।) ହଉ ଟିକେ ରୁହ। ଆରେ ଧାଇଁ ଯାଇ ଗୋଟେ ରସଗୋଲା ଆଣିବୁ।` ରସଗୋଲା ଆସିଲା। ସେ କହିଲେ, `ଏ ରସଗୋଲା ଖାଅ; ଏଥିରେ ପେଟ ଖରାପ ହେବ ନାହିଁ। କାଲି ଆସିବ, ବେଳାବେଳି। ଘରେ କହିକରି ଆସିବ ଯେ କଟକ ଷ୍ଟୁଡେଣ୍ଟସ୍ ଷ୍ଟୋରକୁ ଆସୁଛ। ଯେତେ ଇଚ୍ଛା ସେତେ ବହି ପଢ଼ିବ। ତୁମ ଟଙ୍କାଟି ରଖ। ମା` ଦେଇଛନ୍ତି ବୋଧେ! ତାଙ୍କ ପାଇଁ କିଛି ଜଳଖିଆ କିଣି ନେଇ ଯାଅ।` ବୋଧହୁଏ ମାନନୀୟ ଅନନ୍ତ ମିଶ୍ର ଏ କଥା ମତେ କହିଥିଲେ।
କିଛି ଦିନ ପିଉସୀ ପୁଅ ଭାଇ ସ୍ନେହୀ ଶ୍ରୀ ରଘୁନାଥ ଦାସଙ୍କ ଘରେ ଭୁନେଶ୍ବରରେ ରହିଲି। ମାର୍କେଟ ବିଲଡିଂରେ ଗୋଟିଏ ସରକାରୀ ଲାଇବ୍ରେରୀ ଥାଏ। ସେଠାରେ ବହୁତ ବହି। ଓଡିଆ ଅନୁବାଦରେ ରୋମା ରୋଲାଁ ଙ୍କ ଜା(Jan) କ୍ରିସ୍ଥୋପି ଓ ସରଭାନ୍ନ୍ତେସଙ୍କ ଡନ କୁସ୍ତି ( Don Quihote) ଆଦି ପଢ଼ିଲି।
* * * *
ଷଷ୍ଠ ଶ୍ରେଣୀରେ ସ୍କୁଲରେ ପହଞ୍ଚିବାରୁ ଶିକ୍ଷକମାନେ କହିଲେ, `ଆରେ ତୁମେ ତ ବର୍ଷେ କାଳ ପାଠ ପଢ଼ିନାହଁ, ଉପର ଶ୍ରେଣୀରେ କିପରି ବସିବ ?` ମାନନୀୟ ଏକାଦଶୀ ରଣାସାର୍ ମୋର ଚତୁର୍ଥ ଶ୍ରେଣୀରେ `କଦଳୀ ଚାଷ` ଶୀର୍ଷକ ରଚନା ପଢ଼ି V.V. Good ଲେଖିଥିଲେ -କାରଣ ଗ୍ରାମରୁ ବୁଲି ଆସିଥିବା ମୋ ମଉସାଙ୍କୁ ପଚାରି ମୁଁ ସେଥିର ଆରମ୍ଭରେ ଲେଖିଥିଲି, -
“ଜ୍ୟେଷ୍ଠେ କଦଳୀ, ଆଷାଢ଼େ କିଆ
ପୋତ ନ ପୋତ, ହୁଅଇ ଠିଆ।”
କିପରି କେଜାଣି ଏତକ ତାଙ୍କ ମନରେ ଥିଲା - ସେ କହିବାରୁ ମୋର ଷଷ୍ଠଶ୍ରେଣୀ ପାଇଁ ଆଡମିଶନ୍ ଟେଷ୍ଟ କରାଗଲା। ଭଲ କଲାରୁ ଷଷ୍ଠଶ୍ରେଣୀରେ ଦାଖିଲା ମିଳିଲା। ବହି ପଢ଼ିବା ନିଶା ଲାଗି ରହିଥାଏ। ଅଷ୍ଟମ ଶ୍ରେଣୀ ବେଳକୁ ସ୍କୁଲରେ ସୁଛାତ୍ର ରୂପେ ଗଣା ଯାଉଥାଏ। ନବମଶ୍ରେଣୀରେ ପୁଣି ଦେହ ଖରାପ। ପୁନର୍ବାର ସ୍କୁଲ ବନ୍ଦ- ଘରେ ବସି ପଢ଼େ। କିଛି କିଛି ଅଙ୍କ କରେ, ବେଶି ଗପବହି ପଢ଼େ। ତେବେ ଏତେ ବହି ମତେ ଯୋଗାଇବ କିଏ! ମଦୁଆ ଶୁଙ୍ଘିଶୁଙ୍ଘି ମଦଆଡ୍ଡା ଖୋଜି ପାଇବା ପରି, ମୁଁ ସପ୍ତମ ଶ୍ରେଣୀରେ ଅଲିସା ବଜାରର ଛୋଟିଆ ଲାଇବ୍ରେରୀରେ ପହଞ୍ଚେ। ସେଠି ଭରା କେତେ ବହି, ପରୀ କାହାଣୀ ଓ ଦେଶ ବିଦେଶର ଲୋକ କଥା। ଅନ୍ୟ ଗପ ସଙ୍ଗେ ନରୱେ ଦେଶର କିଛି ଲୋକ କଥା ପଢିଲି ।
ଏହି ଷଷ୍ଠ ବା ସପ୍ତମ ଶ୍ରେଣୀରେ ମୋ ଜୀବନର ପଢ଼ିଥିବା ସର୍ବୋତ୍କୃଷ୍ଟ ଗଳ୍ପମାନଙ୍କ ମଧ୍ୟରୁ ଏକ ଅପୂର୍ବ ଗଳ୍ପ ସୌଭାଗ୍ୟବଶତଃ ପାଇ ପଢ଼ି ପକାଇଲି। ଏବେ ମଧ୍ୟ ମତେ ଲାଗେ ଏହାର ସମକକ୍ଷ ଗଳ୍ପ ବିରଳ। ମାନନୀୟ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ କୃତଜ୍ଞତା ଜଣାଉଛି- ସେ କାଳରେ ସେ କଷ୍ଟ ସ୍ୱୀକାର କରି ବିଶ୍ୱସ୍ତରର ଲେଖା ଅନୁବାଦ କରି ଓଡ଼ିଆ ସାହିତ୍ୟର ପରିସର ବୃଦ୍ଧି କରିଥିଲେ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି -ବୋଧହୁଏ ମୁଁ ଯାହା ପଢ଼ି କ୍ଷୁଦ୍ରଗଳ୍ପ ବୋଲି ଭାବିଛି ତାହା ଏକ ଉପନ୍ୟାସର ଅଂଶ; କିନ୍ତୁ ଶ୍ରୀଯୁକ୍ତ ମହାନ୍ତି ତାକୁ ଗଳ୍ପ ହିସାବରେ ପାଠକ ସାମନାରେ ରଖିଥିଲେ। ସାରା ଜୀବନ ତା`ପରେ ଖୋଜିଛି -କେତେ ସମର୍ଥ ବନ୍ଧୁଙ୍କୁ ପଚାରିଛି; କେହି କିନ୍ତୁ ସେ ଗଳ୍ପ କେଉଁଠି ମିଳିବ ସେକଥା କହିପାରି ନାହାନ୍ତି। ଗଳ୍ପର ନାମ ବୋଧହୁଏ `ବାମନ`। ଏତେ ଚମତ୍କାର କାହାଣୀ ସଂକ୍ଷେପରେ କହୁଛି -କାଳେ ଆପଣମାନଙ୍କ ଭିତରୁ କେହି ଏ ବିଷୟରେ ଜାଣିଥିବେ; ଏବଂ ଏ କାହାଣୀକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିପାରିବେ। ଗପଟି ଏହିପରି -ଜଣେ ଆର୍ମି କମାଣ୍ଡର ଥିଲେ, କିନ୍ତୁ ସର୍ବୋଚ୍ଚ ପଦୋନ୍ନତି ହୋଇପାରି ନଥିଲା। ତାଙ୍କର ଆଶା, ପୁଅଟିଏ ହେଲେ ତାକୁ ଭଲଭାବରେ ଗଢ଼ିବେ -ଏବଂ ସେ ଆର୍ମିରେ ଅଫିସର ହୋଇ କାଳକ୍ରମେ ସର୍ବୋଚ୍ଚ ସ୍ଥାନ ଅଧିକାର କରିବ। ବାହାଘରର ଅନେକ ବର୍ଷ ପରେ ତାଙ୍କର ପୁଅ ଜନ୍ମ ହେଲା, କିନ୍ତୁ ତିନିଚାରିବର୍ଷ ବୟସ ବେଳକୁ ଜଣାପଡ଼ିଗଲା ଯେ ନିୟତିର କ୍ରୂର ପରିହାସରେ ପିଲାଟି ବାମନ। କମାଣ୍ଡରଙ୍କ ଭଗ୍ନ ହୃଦୟ ନିଷ୍ଫଳ କ୍ରୋଧରେ ପରିଣତ ହେଲା। ମଦ ପିଇ ଦୁଃଖ ଭୁଲାଉ ଭୁଲାଉ ତାଙ୍କର ଦେହାନ୍ତ ହୋଇଗଲା। (ସୁନ୍ଦର ବର୍ଣ୍ଣନା ଅଛି -ସଂକ୍ଷିପ୍ତକରଣ ପାଇଁ ଲେଖୁ ନାହିଁ) ତାଙ୍କ ସ୍ତ୍ରୀ ମଧ୍ୟ ଭଗ୍ନ ହୃଦୟ ଓ ଭଗ୍ନସ୍ୱାସ୍ଥ୍ୟରେ ମୃତ୍ୟୁବରଣ କଲେ। ବାମନ ସେତେବେଳକୁ ଅଠରବର୍ଷର ଯୁବକ। ସେ ଧନୀ ପିତାଙ୍କର ସବୁ ସଂପତ୍ତିର ଏକମାତ୍ର ଅଧିକାରୀ। ତାଙ୍କ ସ୍ୱପ୍ନର ଦୁନିଆକୁ ସେ ନିଜ କାମନା ଅନୁସାରେ ସଜାଇଲେ। ବଡ଼ ପିଆନୋ ବିକ୍ରୀ ହୋଇଗଲା, ତା ଜାଗାରେ ଛୋଟ ସାଇଜ ଓ ଉଚ୍ଚତାର ପିଆନୋ ଆସିଲା। ଘରର ସମସ୍ତ ଆସବାବପତ୍ର ମଧ୍ୟ ପରିବର୍ତ୍ତିତ ହେଲା। ବଡ଼ ଘୋଡ଼ା ଆଦି ବଦଳା ହୋଇ ଛୋଟ ସୁନ୍ଦର ପୋନି(ତଟୁ ଘୋଡ଼ା) ଓ ଘୋଡ଼ାଗାଡ଼ି ଆସିଲେ। ଘରର ସମସ୍ତ ଭୃତ୍ୟ ସାନ ଉଚ୍ଚତାର ବଛାହେଲେ। ଯୁବକ ବିବାହଯୋଗ୍ୟ ହେବାରୁ କିଛି ଚେଷ୍ଟା ପ୍ରଚେଷ୍ଟା ପରେ ଗୋଟିଏ ସୁନ୍ଦରୀ ବାମନ କନ୍ୟା ମିଳିଲେ -ବାମନ କିନ୍ତୁ ସୁଢ଼ଳ। ଯୁବକଙ୍କ ସଂସାର ସଂପୂର୍ଣ୍ଣ ହୋଇଗଲା। ଅନେକ ସଂଧ୍ୟାରେ ସେମାନେ ତାଙ୍କ ଛୋଟ ଘୋଡ଼ାଗାଡ଼ିରେ ସହର ବୁଲି ଘରକୁ ଆସି ଖାଇବା ଖାନ୍ତି। ଜଣେ ଯତ୍ନଶୀଳ ଅପେକ୍ଷାକୃତ ଦୀର୍ଘ ବାମନ ଖାନ୍ସାମା ତାଙ୍କୁ ବହୁ ଆଦରରେ ବିଭିନ୍ନ ଜିନିଷ ତିଆରି କରି ଖୁଆନ୍ତି। ତା`ପରେ ଛୋଟ ସାଇଜର ସେ ପରୀକନ୍ୟା ବସି ଛୋଟ ପିଆନୋ ବଜାନ୍ତି ଏବଂ ସ୍ୱାମୀସ୍ତ୍ରୀ ଉଭୟ ମିଶି ଗୀତ ଗା`ନ୍ତି। ଛୋଟ ପିଆଲାରେ କିଛି ଦାମୀ ପାନୀୟ ପରସ୍ପରର ସୁସ୍ୱାସ୍ଥ୍ୟ କାମନା କରି ପିଅନ୍ତି ଏବଂ ପ୍ରେମର ମଧୁର ସ୍ୱାଦରେ ତାଙ୍କର ମହାର୍ଘ୍ୟ କିନ୍ତୁ ଏକ ସାନ ପଲଙ୍କରେ ପରସ୍ପର କୋଳରେ ରାତି ବିତାନ୍ତି। କିଛିବର୍ଷ ପରେ ପରୀକନ୍ୟା ଗର୍ଭବତୀ ହେଲେ- ବାମନ ଯୁବକ ଚର୍ଚ୍ଚରେ ବିଶେଷ ପ୍ରାର୍ଥନାର ଆୟୋଜନ କରାଇଲେ ଯେ ଗର୍ଭଜନିତ କୌଣସି ବିପଦ ନ ଆସୁ। ପ୍ରକୃତି ସହାୟ ହେଲା -କିଛିମାସ ପରେ ଯଥା ସମୟରେ ଘରକୁ ଉଜ୍ଜ୍ୱଳ କରି ଏକ ସୁନ୍ଦର ଶିଶୁପୁତ୍ର ଜନ୍ମହେଲା । ସ୍ୱାମୀସ୍ତ୍ରୀଙ୍କ ସଂସାର ପରିପୂର୍ଣ୍ଣ ହୋଇଗଲା।
କିଛି ବର୍ଷରେ ଜଣାପଡ଼ିଲା ଯେ ପୁତ୍ର ସନ୍ତାନଟି ସ୍ୱାଭାବିକ ଓ ସକ୍ଷମ ବାଳକ ତଥା କିଶୋର। ସେ ବଡ ହେବାରେ ଲାଗିଲା। ସାତବର୍ଷ ବେଳକୁ ମା`ଠାରୁ ଡେଙ୍ଗା, ନଅବର୍ଷ ବେଳକୁ ବାପାଠାରୁ ଉଚ୍ଚ ଏବଂ ଦଶବର୍ଷ ବେଳକୁ ଘରର ମୁଖ୍ୟ ଖାନ୍ସାମା ଠାରୁ ମଧ୍ୟ ଅଧିକ ଲମ୍ୱା ହୋଇଗଲା। କିଛି ବର୍ଷରେ ଦିନେ ସଂଧ୍ୟାରେ ବାମନ ସ୍ୱାମୀସ୍ତ୍ରୀ ତାଙ୍କ ଛୋଟ ଘୋଡ଼ାଗାଡ଼ିରେ ସାଂଧ୍ୟଭ୍ରମଣ କରି ଫେରିଲା ବେଳକୁ ଦେଖିଲେ ପୁତ୍ରମଣି ସମବୟସ୍କ ଓ ଅଧିକ ଲମ୍ୱର ଦୁଇ ସ୍କୁଲବନ୍ଧୁଙ୍କ ସହ ମଦ ପିଇ ଖାନ୍ସାମାକୁ ଘୋଡ଼ା ବନେଇ ଗୋଟିଏ ଚାବୁକ୍ ତିଆରି କରି ତାକୁ ପିଟି ପିଟି ଘରେ ଘୋଡ଼ା ପରିଭ୍ରମଣର ଅନୁକରଣ କରୁଛନ୍ତି। (ଆଉ ଲମ୍ୱାଇବି ନାହିଁ -ଏତେ ଚମତ୍କାର ବର୍ଣ୍ଣନା ଯେ ଏବେବି ମତେ ଅଭିଭୂତ କରି ରଖିଛି) ବାପ ବାମନପୁତ୍ର ଜନ୍ମ ହେବାରୁ ଭଗ୍ନ ହୃଦୟରେ ପ୍ରାଣ ହରାଇଲେ। ବାମନ ଉତ୍ତରାଧିକାରୀ ସ୍ୱାଭାବିକ ସନ୍ତାନର ଜନକ ହୋଇ ଭଗ୍ନ ହୃଦୟରେ ଏକ ସଂଧ୍ୟାରେ ପାନୀୟ ସଙ୍ଗେ ବିଷ ଖାଇ ସ୍ୱାମୀସ୍ତ୍ରୀ ଓ ଖାନ୍ସାମା ପ୍ରାଣ ବିସର୍ଜନ କଲେ।
ଏ ଗପ କଥା ଓ କେଉଁଠି ମିଳିବ - କେହି ସଠିକ୍ କହିଲେ ମୁଁ ତାଙ୍କୁ ଏକହଜାର ଟଙ୍କା ଉପହାର ଭେଟି ଦେବି। ଅଧୀର ହୋଇ ଅପେକ୍ଷା କରୁଛି।
ଆମେ ଆମ ଅହଂକୁ ରୁଚି ଭାବି ଦୁନିଆକୁ ସେପରି ସଜାଉ; ପ୍ରକୃତି ଆମକୁ ଅନେକ ସମୟରେ ଉପହାସ କରେ।
….… …...
ନବମଶ୍ରେଣୀ, ବେମାର ପାଇଁ ପୁଣି ସ୍କୁଲ ବନ୍ଦ। ଯେତେ ଗ୍ରନ୍ଥାବଳୀ - ଫକୀର ମୋହନ, ଗୋଦାବରୀଶ, କାଳିନ୍ଦୀ ଚରଣ, ରାଧାନାଥ, ମେହେର, କେତେ ନାଟକ, ଆତ୍ମ ଜୀବନୀ, ଯେତେ ଅନୁବାଦ ପୁସ୍ତକ - ସବୁ ପଢ଼ିଲି। ନିତ୍ୟାନନ୍ଦ ମହାପାତ୍ରଙ୍କ `ସୁଖର ସନ୍ଧାନେ` ବହୁତ୍ ପ୍ରଭାବିତ କଲା। ଦିନେ ଦ୍ୱିପ୍ରହରରେ ବସି ପୁରୁଣା ବହିସବୁ ଆଉଥରେ ଓଲଟାଉଛି -ଏହି ସମୟରେ ବଡ଼ ଭଉଣୀଙ୍କ ସ୍ୱର ଶୁଣାଗଲା- `ପ୍ରସନ୍ନ ଦୌଡ଼ି ଆ।`
ଏକା କୁଦାରେ ଅଗଣା ଟପି ଯାଇ ପହଞ୍ଚିଗଲି ଭଣ୍ଡାର ଘରରେ। ଶୀତଦିନ ବୋଲି ମା ଓ ବଡ଼ ଭଉଣୀ ମିଶି ବାକ୍ସବନ୍ଦ ଜିନିଷକୁ ଖରାରେ ଶୁଖାଇବାକୁ କାଢ଼ୁଥାନ୍ତି। ମୋ ନାନୀ ଦେଖାଇଲେ ତିନି କାର୍ଟନ ଇଂରେଜୀ ଗପବହି -World`s Greatest Stories ନଅ ଗୋଟି ସୁଦୃଶ୍ୟ ବହି।. କ୍ରୋମ ଲେଦର୍ ବନ୍ଧେଇ; ସେପରି ବହି ଆଜିକାଲିର Use & Throw ଯୁଗରେ ଦେଖିବା ବିରଳ। ମତେ କିଙ୍ଗ୍ ସଲୋମନ୍ସ ମାଇନ୍ସ ମିଳିଗଲା ପରି ଲାଗିଲା। ବାପା ବହି କିଣି ରଖି ଭୁଲି ଯାଇଛନ୍ତି। କାର୍ଟନ ଖୋଲା ହୋଇନଥିଲା। ମୁଁ ସେସବୁ ଗପ ପଢ଼ିଗଲି- ଚଳନ୍ତି ଭାଷାରେ କହିଲେ `ଚରିଗଲି`। କେତେ କଠିନ ଶବ୍ଦ ବୁଝି ପାରୁନଥାଏ, ତେବେ ମୋଟାମୋଟି ଗପଟି ଧରି ପାରୁଥାଏ। ଡିକସିନାରୀ ଦେଖି, ଭାଇନା ଓ ବାପାଙ୍କୁ ପଚାରି ମୁଁ ଆଗେଇ ଚାଲିଲି। ସେ ସଂକଳନ ସବୁରେ ପଢିଲି - ଗୋଗୋଲ୍ ଙ୍କ କାଳଜୟୀ ଗପ- ଦ୍ ଓଭରକୋଟ୍ , ମୋପାସଂଙ୍କ `ସାଇମନ୍ସ ପାପା` ଆଦି। ଦଶମ ଶ୍ରେଣୀ ଆରମ୍ଭ ହେବାରୁ ପୁଣି ସ୍କୁଲରେ ହାଜର୍। ଏଥର ସମସ୍ତେ କହିଲେ, `ନା, ଏଥର ହେବନାହିଁ। ଦଶମ ଶ୍ରେଣୀ ବଡ଼ କ୍ଲାସ, ପରେ ପରେ ମାଟ୍ରିକ୍।` ଏଥର ହେଡ୍ ମାଷ୍ଟର ମାନନୀୟ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର (`ବାହୁଡ଼ା ବିଜେ` ଅପୂର୍ବ କବିତାର ରଚୟିତା) କହିଲେ,`ତଥାପି ତାର ଗୋଟେ ପରୀକ୍ଷା କରାଅ। ପିଲାଟା ଅଷ୍ଟମ ଶ୍ରେଣୀରେ ଫାଷ୍ଟ ହୋଇଥିଲା, ଗୋଟେ ସୁଯୋଗ ଦିଆଯାଉ।` ଅଙ୍କରେ ନବେ ! ଇଂରେଜୀ ଖାତାରେ ଲେଖା ଦେଖି ସାର୍ ମାନେ ଅବାକ୍; ଖାତା ଧରି ଏକାଦଶ ଶ୍ରେଣୀରେ ଯାଇ ପଢିଲେ -`ଇଂରେଜୀ କେମିତି ଲେଖାହୁଏ ଶିଖ !`
ସଂକ୍ଷେପରେ, ଏ ଝଡ଼ଝଞ୍ଜାପୂର୍ଣ୍ଣ ଜୀବନରେ ବହି କେବଳ ମୋର ସ୍ୱପ୍ନ ନୁହେଁ; ଲଙ୍ଗର ମଧ୍ୟ। ଏପରି ବଦଭ୍ୟାସ ଯେ କିଛି ଲୋକ ସିଗାରେଟ୍ ଆଦି ନଖାଇଲେ ସକାଳୁ ବାଥରୁମ୍ ଯାଇପାରନ୍ତି ନାହିଁ- ମୁଁ ଅନ୍ତତଃ ଯୋଡ଼େ ଗପ ନପଢ଼ିଲେ ନିତ୍ୟକର୍ମ ସମାପନ ହୁଏ ନାହିଁ।
ଏବେ ଏକ ବିଚିତ୍ର ଘଟଣା ବଖାଣି ଆଜିର ଯୁବାପିଢ଼ିଙ୍କୁ ଜଣାଇବି ଆମେମାନେ କେତେ କମରେ ଚଳୁଥିଲୁ। ବିଶ୍ୱସ୍ତରର ପାଠ, ବହି, ଦ୍ରବ୍ୟରୁ ବିଚ୍ୟୁତ ହୋଇ ଚଳୁଥିଲୁ। କିନ୍ତୁ ମନରେ କେବେ ହୀନମନ୍ୟତା ନଥିଲା। କନିକା ଲାଇବ୍ରେରୀର ରାସ୍ତା ସୂର୍ଯ୍ୟଘଡ଼ି ଆମପାଇଁ ବିଶ୍ୱର କେନ୍ଦ୍ରସ୍ଥଳ ଥିଲା। ଲାଇବ୍ରେରୀ ଥିଲା ଆମ ମନ୍ଦିର। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚି ପ୍ରଥମଥର ବହିର ପ୍ରାଚୁର୍ଯ୍ୟ ଦେଖିଲୁ। କାରଣ କନିକା ଲାଇବ୍ରେରୀରେ ବହି କେତେଜଣ ଛାତ୍ର ପ୍ରଫେସରଙ୍କୁ ଧରି ବର୍ଷ ଆରମ୍ଭରୁ ନେଇ ଯାଆନ୍ତି ଯେ ସୀମିତ କପି ଯୋଗୁ ଆମକୁ ବର୍ଷ ସାରା ସେ ଲେଖକଙ୍କ ବହି ମିଳେ ନାହିଁ। ଦିଲ୍ଲୀରେ ପ୍ରତି କଲେଜରେ ବଡ଼ ଲାଇବ୍ରେରୀ, ବିଶ୍ୱବିଦ୍ୟାଳୟରେ ପ୍ରଚୁର ବହି। ତାଛଡ଼ା ସାପ୍ରୁ ହାଉସ, ଆଇ.ଆଇ.ପି.ଏ. ଆଦି ଅନୁଷ୍ଠାନରେ ମଧ୍ୟ ପ୍ରାଚୁର୍ଯ୍ୟ। ଏତେ କଥା ସତ୍ତ୍ୱେ ନିମ୍ନୋକ୍ତ ଘଟଣାଟି ସଂପୂର୍ଣ୍ଣ ସତ୍ୟ ଓ ବିଚିତ୍ର।
ବନ୍ଧୁ ଲାବଣ୍ୟେନ୍ଦୁ ମାନସିଂହ ଦୁଃଖ ଦେଇ ହଠାତ୍ ଆରବର୍ଷ ଚାଲିଗଲେ। ସେ କଲେଜ୍ ବେଳେ ଆମେରିକାନ ବହି ପଢ଼ିବାରେ ଓସ୍ତାଦ। ଟାଇମ୍ ମାଗାଜିନ୍ ଆଦି ତାଙ୍କ ରୁମରେ ଗଦା ହୋଇ ଥାଏ।
ଯୁବକ ଅବସ୍ଥାରେ ଅବା ପୁରୁଷମାନଙ୍କର ବିଶେଷତଃ ଏଇ ଦୁର୍ଗୁଣ -ଭଲ ବହି ସଙ୍ଗେ ସଙ୍ଗେ କିଛି ଉତ୍ତେଜକ ବହି ମଧ୍ୟ ପଢ଼ା ଚାଲିଥାଏ। ବାବୁଲା ମାନସିଂହ, ବିଶେଷତଃ କବିବର ମାନସିଂହଙ୍କ ପୁଅ ହୋଇଥିବାରୁ ଆମ ଭିତରୁ ଆଉ କେହି କବିତା ଆଦି ଲେଖି ପଢ଼ିଲେ ସେ ହାଇ ମାରନ୍ତି, ବା ଉଠି ପଳାନ୍ତି - କୁହନ୍ତି, `ଯେତେକ pseudo intellectual ସବୁ pose ମାରୁଛନ୍ତି।` ଆମେ କେତେଜଣ Encounter ପତ୍ରିକା ଏବଂ କଲିନ ୱିଲସନଙ୍କ Outsider ସାହିତ୍ୟ ତର୍ଜମା ବହି ପଢି ଆଲବର୍ଟ କାମୁ, ହେନରୀ ମିଲର ଆଦିଙ୍କ ଚର୍ଚ୍ଚା କରିବାରୁ ସେ ବିରକ୍ତ ହୁଅନ୍ତି, କୁହନ୍ତି `ଯଦି କଫି ପିଏଇବାକୁ ନେବ ତେବେ ଶୁଣିବି, ନହେଲେ ଚାଲିଲି।`
ଦିନେ ହଠାତ୍ ସେ ଆସି ହସିହସି ଗଡ଼ିଗଲେ, କହିଲେ, `ଶ.., ଗୋଟାଏ ପାଲା ଲାଗେଇଚ; କଣ ନା ହେନରୀ ମିଲର ବିରାଟ ଲେଖକ - intellectual! ଏ ବହି ମୋର ଆତ୍ମୀୟଙ୍କ ଡ୍ରଇଂ ରୁମ ବୁକ ସେଲଫରେ ରଖାହୋଇଥିଲା, ଆଣିଛି -ପଢ଼ି ଦେଖ, ସୁପରକ୍ଲାସ `ପଣ୍ଡି`- (ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇରୋଟିକ୍ ବହି ଆଦି ପାଇଁ ତତ୍କାଳୀନ ସଂକ୍ଷେପ ନାମ)।` ଆମେ ଗମ୍ଭୀର ମୁଦ୍ରାରେ ନିଜର ଉତ୍ସୁକତାକୁ ଘୋଡ଼ାଇ ସେ ବହିଟି ନେଇ ପଢ଼ିଲୁ। ସବୁ ଛାତ୍ର ବନ୍ଧୁମାନେ ପଢି ହସି ଅସ୍ଥିର। ତେବେ ପ୍ରଘଟ ନକରି ନଜାଣିବା ପରି ଜଣେ ତରୁଣ ଇଂରାଜୀ ଅଧ୍ୟାପକଙ୍କୁ ସେ ବହିଟି ଦିଆଗଲା ତାହାର ସାହିତ୍ୟିକ ମୂଲ୍ୟାଙ୍କନ କରି ଆମମାନଙ୍କ ଜ୍ଞାନବର୍ଦ୍ଧନ କରିବା ପାଇଁ। ସେ ମଧ୍ୟ ସେ ବହିଟିକୁ ନେଇ ଏକାନ୍ତରେ ଏକାଗ୍ରତାର ସହିତ ପଢ଼ି ଦିନେ ପରେ କହିଲେ- “ହେନେରୀ ମିଲର୍, superb, ଚମତ୍କାର! କେତେ ସୁନ୍ଦର ଇଂରେଜୀ। ଜୀବନସ୍ରୋତକୁ ସ୍ୱାଗତ କରି ଏ ଅପୂର୍ବ ରଚନା! ତେବେ ଲେଖାଶୈଳୀ ଟିକେ ବେଶି ଗ୍ରାଫିକ୍ (ବିଶଦ ବର୍ଣ୍ଣନା) ହୋଇଛି, ତେଣୁ ସାଧାରଣ ପାଠକ ବିଚଳିତ ହୋଇ ପାରନ୍ତି।” ସେ ମେହଫିଲରୁ ଗଲାପରେ ଆମେ ବଦମାସ ଦଳ ହସିହସି ନୟାନ୍ତ। ଲାବଣ୍ୟେନ୍ଦୁ ଯଥା ସମୟରେ ବହିଟି ଫେରସ୍ତ ନେଇ ଆତ୍ମୀୟଙ୍କ ଡ୍ରଇଂରୁମରେ ବହି ମଧ୍ୟରେ ଯେପରି ସଜା ହୋଇଥିଲା, ସେପରି ରଖିଦେଲେ। ଅନେକ ଦିନ ପାଇଁ ଆମ ଭିତରୁ ଆଶାୟୀ କବି ଓ ଲେଖକମାନେ ଲାବଣ୍ୟେନ୍ଦୁଙ୍କ ସାମନାରେ ଚୁପ୍ ରହିବା ଶ୍ରେୟସ୍କର ମଣିଲେ।
କେତେ ବର୍ଷ ବିତିଗଲା। ମୁଁ ଆଇ.ଏ.ଏସ୍. ଚାକିରି ଆରମ୍ଭ କଲି-ପ୍ରାରମ୍ଭିକ ପୋଷ୍ଟିଂ ବ୍ରହ୍ମପୁରରେ। ସେଠାର ଜଳବାୟୁ ମୋ ଦେହରେ ଆଦୌ ଚଳିଲା ନାହିଁ। ମୁଁ ଦଶକିଲୋ ଝଡ଼ିଗଲି, ତା`ସାଙ୍ଗେ ଅଣ୍ଟାବିନ୍ଧା ମଧ୍ୟ ଆରମ୍ଭ ହୋଇଗଲା। କିଛି ଡାକ୍ତର ବନ୍ଧୁ ପାଣିପବନ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ; ବର୍ଷେ ଦୁଇବର୍ଷ ଆମେରିକାରେ ରହିଲେ ପେଟ ପୁରା ଠିକ୍ ହୋଇଯିବ। ଦରଖାସ୍ତ ଦେଲି-ମା ସରସ୍ୱତୀଙ୍କ ଅଶେଷ କରୁଣା ଚାଲିଥାଏ -ଭାରତବର୍ଷରେ ବଛାବଛି ପରୀକ୍ଷାରେ ପ୍ରଥମ ହୋଇ ଆମେରିକାରେ ପହଞ୍ଚିଲି। ଆରମ୍ଭରେ ହନଲୁଲୁ, ତାର କିଛି ମାସ ପରେ ନ୍ୟୁୟର୍କ।
ନ୍ୟୁୟର୍କ ପ୍ରକାଣ୍ଡ ସହର। ପାରିବାରିକ ଦାୟିତ୍ୱ ହେତୁ କିଛି ସଂଧ୍ୟାରେ NYU (ବିଶ୍ୱବିଦ୍ୟାଳୟର) ସିଟି କ୍ୟାମ୍ପସରେ ଯାଇ ବୁଲିବାକୁ ପଡ଼ିଲା। ପାଖରେ ପଇସାର ଘୋର ଅଭାବ। ପରିବାରର ଦାୟିତ୍ବ। ତା ସଙ୍ଗେ ପଇସା ସଞ୍ଚି କିଛି ଭଲ ଜିନିଷ - ଯଥା stereo music system ଇତ୍ୟାଦି ଦେଶକୁ ଫେରିବା ସମୟରେ କିଣି ନେବାକୁ ଇଛା। ଅଳ୍ପରେ କହିଲେ- ସନ୍ଧ୍ୟା ତିନି ଘଣ୍ଟା ରାସ୍ତାରେ ଚାଲି ବିତାଇ ବାକୁ ପଡୁଥାଏ। ମୁଖ୍ୟ ରାସ୍ତା ପ୍ରଶସ୍ତ ଓ ଆଲୋକିତ; କୋଳାହଳ ପୂର୍ଣ୍ଣ,, ଚକ୍ ଚକ୍ କାର, ଦାମୀ ପୋଷକ ପିନ୍ଧା ସମର୍ଥ ନରନାରୀ ଭରା - ଧନୀ ନଗରର ପରିଚାୟକ। ବୁଲୁବୁଲୁ ଟିକେ ଭିତର ଗଳି ରାସ୍ତାକୁ ଯାଇ ଦେଖିଲି ହୃଦୟ ବିଦାରକ ଦୃଶ୍ୟ। ଗରିବ ବୁଢ଼ାବୁଢ଼ୀ ମଦ ନିଶାରେ ଚୂର୍ ହୋଇ ନାଳ କଡ଼ରେ ପଡ଼ିଥାନ୍ତି। ପ୍ରାଚୁର୍ଯ୍ୟ ଓ ବାସ୍ତବତାର ବିଚିତ୍ର ଅସାମଞ୍ଜସ୍ୟ।
ସେହି ଗଳି ରାସ୍ତାର ଗୋଟିଏ ଛୋଟ କ୍ରସିଂରେ କଣକୁ ଗୋଟିଏ ଦୋକାନ । ସେଥିରେ ଖବରକାଗଜ ମିଳେ। କିଛି ପତ୍ରିକା, ଚକୋଲେଟ୍ ଆଦି। ଦେଖିଲି ଦୋକାନ ପାଖାପାଖି ଗ୍ରାହକ ଶୂନ୍ୟ। ମୁଁ ପଶିଲେ କିଛି ବିଡମ୍ବନା ହେବ ନାହିଁ। ପଶି ପତ୍ରିକା ଆଦି ଓଲଟାଇଲି।
ଏଥି ପୂର୍ବରୁ ଏକ ବିସ୍ମୟକର ଘଟଣା ଜଣାଇବା କଥା । ବୟସ ହେଲାଣି ସ୍ମୃତିଭ୍ରମ ହୋଇନାହିଁ - କିନ୍ତୁ ସ୍ମୃତି ୟୋୟୋ ଖେଳ ଚକତି ପରି, କେତେବେଳେ ଆଗକୁ କେତେବେଳେ ପଛକୁ । ଆଗ-ପଛ ବିଚଳନ ଲେଖିବାରେ ଆସିଯାଉଛି।
ନ୍ୟୁୟର୍କର ପ୍ରସିଦ୍ଧ ଆଇଭି ଲିଗ୍ କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ମୁଁ ଛାତ୍ର। ସକାଳେ ଗୋଟିଏ କ୍ଲାସ, ଅପରାହ୍ନରେ ଆଉ ଗୋଟିଏ। ଘଣ୍ଟେ ସବ୍ ୱେ ଟ୍ରେନରେ ଆସିବାକୁ ପଡ଼େ। ସକାଳ କ୍ଲାସ ପରେ ଭୀଷଣ ଥଣ୍ଡାରେ ବୁଲିବାକୁ ସାହାସ ନାହିଁ, ତାହା ଛଡ଼ା ବିଶ୍ୱବିଦ୍ୟାଳୟର ପଢ଼ା ଅତ୍ୟଧିକ ଏବଂ ଲାଇବ୍ରେରୀ ଚମତ୍କାର -ବହିରେ ଭରା। ରାଜନୀତି ବିଜ୍ଞାନର ଛାତ୍ର ହିସାବରେ ଦେଖି ଚମତ୍କୃତ ହେଲି ଯେ ସେଠାରେ John Locke ଙ୍କ ସ୍ୱହସ୍ତ ଲିଖିତ ପାଣ୍ଡୁଲିପି ମଧ୍ୟ ଅଛି। ଘଣ୍ଟା ଘଣ୍ଟା ବସି ପଢ଼େ। ଦିନେ ଏହିପରି ପଢ଼ୁପଢ଼ୁ ଥକା ଲାଗିଲା। କିଛି ଅଲଗା ପଢ଼ିବାକୁ ମନ ହେଲା। କ୍ୟଟଲଗରେ ଆଖି ବୁଲାଇ ଦେଖିଲି, ରିଜର୍ଭ ସେକ୍ସନରେ ହେନେରୀ ମିଲରଙ୍କ ସେହି ବିଦିତ ଉପନ୍ୟାସ `Tropic of Capricorn` ଅଛି । ଭାବିଲି ଯୌବନ ପ୍ରଥମ ଅବସ୍ଥାର ଚାପଲ୍ୟରେ ବିଦିତ ଲେଖକଙ୍କ ମୂଲ୍ୟାଙ୍କନ ଠିକ୍ କରିପାରିନଥିଲି- ଆଉଥରେ ପଢ଼ି ଦେଖେ।
ଲାଇବ୍ରେରୀୟାନ୍ ଆଣି ବହିଟି ବଢ଼ାଇଲେ, ଭିତରେ ବସି ପଢ଼ିବାକୁ ହେବ। ଏକ ମୋଟା ବନ୍ଧେଇ ବହି- ଉପରେ ଲେଖା ହୋଇଛି `Tropic of Capricorn` ତଳେ Henry Miller. ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବାବୁଲା ମାନସିଂହ ଆଣିଥିବା ପତଳା ବହିପରି ଆଦୌ ଦେଖା ଯାଉନଥାଏ। ବସି ପଢ଼ିବା ଆରମ୍ଭ କଲି, ସକାଳ ଏଗାରଟାରୁ ପଢ଼ିଲି ଯେ ଭୋକଶୋଷ ଭୁଲି ଚାରିଟା ବାଜିଗଲା। ଦୁଇ ଦିନରେ ବହିଟି ସରିଲା। ଅପୂର୍ବ ସାହିତ୍ୟକୃତି -ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବାବୁଲା ମାନସିଂହ ଆଣିଥିବା ବହି ସଙ୍ଗେ କୌଣସି ସଂପର୍କ ନାହିଁ। କିଛି କିଛି ଜାଗାରେ ବର୍ଣ୍ଣନା ସ୍ରୋତରେ କିଛି ତଥାକଥିତ ନଗ୍ନ ବିବରଣୀ ଅଛି; କିନ୍ତୁ ତାହା ସାହିତ୍ୟସ୍ରୋତର ସ୍ୱାଭାବିକ ପରିପ୍ରକାଶ। ମୂଳ ସ୍ରୋତ ନୁହେଁ। ହେନେରୀ ମିଲର୍ ଅଦ୍ଭୁତ ଲେଖକ, ତାଙ୍କର ଲେଖାର କ୍ଷୋଭ- ସୃଷ୍ଟି ଓ ସୃଷ୍ଟିକର୍ତ୍ତାଙ୍କୁ ନେଇ; କାଳ ସମୟର ବାହାରେ ସେ ବିରାଟ ସାହିତ୍ୟକୃତି। ମୁଁ ଜାଣିପାରିଲି ଯେହେତୁ ତାଙ୍କର ବହିର କିଛି ଅଂଶରେ ନଗ୍ନତା ଅଛି, ତତ୍କାଳୀନ ଆମେରିକାର ରକ୍ଷଣଶୀଳ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କ ବହିର ପ୍ରକାଶନ ଆମେରିକାରେ ନିଷିଦ୍ଧ କରି ଦେଇଥିଲେ। ଏହି ଘଟଣା କୌତୁହଳ ଓ ପ୍ରଚାର ସୃଷ୍ଟି କରିଥିଲା। ତାହାର ସୁଯୋଗ ନେଇ କିଏ ସବୁ `ପଣ୍ଡି` ବହି ଲେଖି ସେଥିରେ ହେନେରୀ ମିଲରଙ୍କ ନାମ ଯୋଡ଼ି ଦେଇଥିଲେ। ସେ ପ୍ରକାର ବହି ଭାରତକୁ ଆସି ଦିଲ୍ଲୀ ପରି ଉନ୍ନତ ନଗରୀରେ ଭଦ୍ରସମାଜରେ ଅରିଜିନାଲ୍ ହେନେରୀ ମିଲରଙ୍କ ଲେଖା ରୂପେ ପଢ଼ାଗଲା ଓ ଗମ୍ଭୀର ଚର୍ଚ୍ଚା ମଧ୍ୟ କରାଗଲା।
ଏବେ ସେ NYU ପାଖଗଳିର ଛୋଟ ଦୋକାନକୁ ଫେରିବା। ସେଠି କାଗଜ ପତ୍ରିକା ଦେଖୁଦେଖୁ ମୁଁ ଆରପଟରେ ରଖା ହୋଇଥିବା କିଛି ପତଳା ବହି ଦେଖିଲି। ବ୍ୟାସକବି ଫକିରମୋହନଙ୍କ ଚନ୍ଦ୍ରମଣିବାବୁଙ୍କ ଇଷ୍ଟାଇଲରେ ପାଖକୁ ନଜାଣିଲା ପରି ଲାଗିଗଲାରୁ ଜାଣିପାରିଲି ଯେ `ଆରେ ଏ ତ ସେହି ଭଦରଖିଆ ଟୋକା`। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଦେଖିଥିବା `Tropic of Capricorn` ଏବଂ ସେହିପରି ଅନ୍ୟ କିଛି ବହି!
ହର୍ଷ, ଉଲ୍ଲାସ ଓ ବିଷାଦ ଏକାଠି ଅନୁଭବ କଲି -`କେତେ କମରେ ଆମେ ଚଳୁଥିଲୁ` ଏବଂ କେତେ ପ୍ରକାରର ଲେଖା ଓ ପଢ଼ା … କିନ୍ତୁ ସେଥିରେ ପଢ଼ିଥିବା ଉଦୟନାଥ ଷଢ଼ଙ୍ଗୀଙ୍କ ଅପୂର୍ବ `ଟମକକାଙ୍କ କୁଟୀର`, `ମରଣ ଦୁଆରେ` -ପ୍ରଫୁଲ୍ଲ ଦାସଙ୍କ ଅନୁଦିତ ନୋବେଲ ପୁରସ୍କାରପ୍ରାପ୍ତ ଉପନ୍ୟାସ ସବୁ। ପ୍ରେମଚାନ୍ଦ ଓ ରବୀନ୍ଦ୍ରନାଥଙ୍କ ସବୁଲେଖାର ଓଡ଼ିଆ ସଂସ୍କରଣ। କେତେ ଭୁତ ଗପ, କେତେ କଣ୍ଡୁରୀଚରଣ ଦାସ ଓ ଯୋଗେନ୍ଦ୍ର ମହାନ୍ତିଙ୍କ ଲେଖା ଡିଟେକଚିଭ୍ ଉପନ୍ୟାସ। କ୍ଷୋଭ - କମଳାକାନ୍ତ ମହାପାତ୍ରଙ୍କ `ଫୋଟୋ` ମୋ ମତରେ ବିଶ୍ଵର ଏକ ଅଦ୍ୱିତୀୟ ଉପନ୍ୟାସ - ଦୁଃଖ ଯେ ମହାପାତ୍ର ଏହାକୁ ଏତେ ଛୋଟ କରି ଲେଖିଲେ - ଅନ୍ତତଃ ଆଉ ସତୁରୀପୃଷ୍ଟା - ଏଵଂ ଏହାର ଏକ ସମର୍ଥ ଇଂରେଜୀ ସଂସ୍କରଣ ତୁରନ୍ତ ବାହାରିବା ଆବଶ୍ୟକ । ସେ ନିଜେ ପରିବର୍ଦ୍ଧିତ କରି ଲେଖିବେ, ଅବା ତାଙ୍କ ଅନୁମତି ନେଇ ମୁଁ କରିବି। Donleavy ଙ୍କ Ginger Man, ସ୍ୟାଲିଞ୍ଜରଙ୍କ Catcher In The Rye, ଅବା Joseph Hellerଙ୍କ Catch 22 ପରି ସମର୍ଥ ଉପନ୍ୟାସ।
ଯୁବ ତଥା କିଶୋର ବନ୍ଧୁଙ୍କୁ ଅନୁରୋଧ - ପଢନ୍ତୁ, ଫୋନ୍ ବା ଟିଭି ବା କମ୍ପ୍ୟୁଟର କେବଳ ନୁହେଁ - ବହି, ବହି ଓ ବହି। କୌଣସି ପଢା ବୃଥା ଯାଏ ନାହିଁ। ଗୋଟିଏ ଉଦାହରଣ: ମୋ ଆଇଏଏସ ଚାକିରୀ ଶେଷ ବେଳକୁ ୨୦୦୬ ସେପ୍ଟେମ୍ବର ମାସରେ ନରୱେ ପ୍ରଧାନ ମନ୍ତ୍ରୀ ମତେ ଡକାଇ ପଠାଇଲେ। ପହଞ୍ଚି ସମ୍ୟକ୍ ଆଲୋଚନା ଆରମ୍ଭ। ମେକ୍ସିକୋ ସ୍ୱାସ୍ଥ୍ୟମନ୍ତ୍ରୀ (ତାଙ୍କ ପରିଚୟ ପରେ ଜାଣିଲି, ଏଵଂ ଜାଣିଲି ଯେ ସେ WHO ର ଛ ବର୍ଷ ଧରି ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଥିଲେ) ଏକ୍ସପର୍ଟ ହିସାବରେ ମତେ ଦେଢ଼ ଦିନ ଜେରା କଲେ। ଶେଷରେ ଆମେ ପ୍ରଧାନ ମନ୍ତ୍ରୀଙ୍କୁ ବନ୍ଦ କକ୍ଷରେ ଭେଟିଲୁ। ଏକ୍ସପର୍ଟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଅନ୍ୟ ସବୁ ନରୱେ ଅଫିସର୍ ବିଶଦ ବିବରଣୀ ଦେଇ କେତେ ତଥ୍ୟ, ପରିସଂଖ୍ୟାନ ଆଦି କହି ଚାଲିଲେ। ମୁଁ ଲକ୍ଷ୍ୟ କଲି, ପ୍ରଧାନ ମନ୍ତ୍ରୀ ଶୁଣିଶୁଣି ଥକି ଗଲେଣି। ଶେଷରେ ସେ ମତେ ପଚାରିଲେ, `ଆପଣ ଆମଠାରୁ ପଇସା ନେଇ କଣ କରିବେ? ମୁଁ କହିଲି, `ମାନ୍ୟବର, ଭାରତର ସ୍ବାସ୍ଥ୍ୟ ବଜେଟ୍ ବର୍ଷକୁ ବାର ହଜାର କୋଟି ଟଙ୍କା, ତିନି ବିଲିଅନ୍ ଡଲାର (ସେତେବେଳ ମୂଲ୍ୟରେ), ଆପଣ ଆମ ଦେଶ ପିଲାଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ କିଛି ଭଲ କାମ ଚାହୁଁଛନ୍ତି । ଆପଣଙ୍କ ଟଙ୍କା ଯେତେ ଦରକାର୍ ନୁହେଁ, ତା` ଠାରୁ ଅଧିକ ଆବଶ୍ୟକ ନୂତନ ପ୍ରକାରେ କାମ କରିବାକୁ ନିଷ୍ଠା । ଏବଂ ନରୱେ ପିଲାଙ୍କ ସ୍ନେହ ଭାରତ ପିଲାଙ୍କ ପାଖରେ ପହଞ୍ଚିବା ସବୁଠାରୁ ବେଶୀ ଲୋଡା । ମୁଁ ମୋ ପିଲାଦିନେ ନରୱେ ଲୋକକଥାରେ ପଢିଥିଲି ଗୋଟିଏ ପ୍ରତ୍ୟୁତ୍ପନ୍ନମତି ଚତୁର ବାଳକ ଗାଥା (saga ଶବ୍ଦବ୍ୟବହାରକରିଥିଲି) ଯେ କି ସବୁ ସମସ୍ୟା ଅଚିରେ ସମାଧାନ କରିପାରୁଥିଲା। ମାନ୍ୟବର, ଆପଣ ତା` ନାମ ଯଦି କେହି ମନେ ରଖିଛନ୍ତି, ତେବେ ସେ ଏହି ନରୱେ-ଭାରତ ଶିଶୁ ସ୍ୱାସ୍ଥ୍ୟ ବିଶେଷ ପ୍ରୋଗ୍ରାମର `ବ୍ରାଣ୍ଡ ମାସ୍କଟ` ହେଲେ ପ୍ରକଳ୍ପ ନିଶ୍ଚୟ ସଫଳ ହେବ।` ସେ ଏ ଉତ୍ତର ଶୁଣି ସଙ୍ଗେ ସଙ୍ଗେ କହିଲେ, `ମୁଁ ଏହି ମୁହୂର୍ତ୍ତରେ ଘୋଷଣା କରୁଛି ଯେ ମି. ହୋତାଙ୍କୁ ନରୱେ ସରକାର ଶହେ ମିଲିୟନ ଡଲାର ସହ ସବୁ ପ୍ରକାରରେ ସମର୍ଥନ କରିବେ।` ସପ୍ତମ ଶ୍ରେଣୀରେ ପଢା ଲୋକକଥା କାମ ଦେଲା ! ପୋଥୀ ବାଇଗଣ ବାଡି ବାଇଗଣ ହେଲା।
୧୯୭୩ରେ ପଢ଼ିଲି ମାର୍କୱେଜଙ୍କ ବିଦିତ `One Hundred Years Of Solitude`. ହନଲୁଲୁରେ ପହଞ୍ଚି ପ୍ରଥମ ଦିନରେ ସବୁ କାମ ଛାଡି ବହିଟି ସାରିଲି। ନୂଆ ସୁନ୍ଦର ଜାଗା; ଭୂସ୍ୱର୍ଗ। ପରିବାରଠାରୁ ତିରସ୍କୃତ ହେଲି ଯେ ତାଙ୍କୁ ବୁଲାଇବାକୁ ନନେଇ ବହି ପଢ଼ୁଛି -`ଯେପରି ବହି କୁଆଡ଼େ ପଳାଇ ଯାଉଛି।` ମୁଁ ଉତ୍ସାହରେ କହିଲି,`ଏହିପରି ଆଉ ଗୋଟିଏ ବହି ସେ ଲେଖିଲେ ନିଶ୍ଚୟ ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ।` ପରିବାରର ବ୍ୟଙ୍ଗ, `ହଁ, ତୁମକୁ ନୋବେଲ କମିଟିରେ ମେମ୍ୱର କରାଯିବ।` ତାହାର ଦଶ ବର୍ଷ ମଧ୍ୟରେ 1982ରେ ମାର୍କୱେଜ ନୋବେଲ ପୁରସ୍କାର ପାଇଲେ |
କିପରି କାହାକୁ ବୁଝାଇବି -ବହି ଅସୁମାରି ….ଜୀବନ ସୁମାରି। କେତେବଳେ ବି ଯିବା ଘଣ୍ଟି ବାଜିବା ସମ୍ଭବ; ଦୁଃଖ ଯେ ଏପର୍ଯ୍ୟନ୍ତ ଅନେକ ଭଲବହି ଅପଢ଼ା ରହିଯାଇଛି… ।
■
COMMENTS - 0