ସାମାଜିକ ଗଣ ମାଧ୍ୟମ ହେଉଛି ସାହିତ୍ୟର ଗଣତାନ୍ତ୍ରୀକରଣ
ପ୍ରଦୀପ ବିଶ୍ବାଳ
ପ୍ରଶ୍ନ : ଆପଣଙ୍କର ବର୍ତମାନ ସମୟର ସାହିତ୍ୟ କର୍ମଟି କଣ? ଏବେ କଣ କରୁଛନ୍ତି? ଭାବୁଛନ୍ତି ବା ଯୋଜନା କରୁଛନ୍ତି?
ପ୍ରଦୀପ ବିଶ୍ବାଳ - ବର୍ତମାନ ମୁଁ ମୋର ଜୀବନର ବିଭିନ୍ନ ଘଟଣା ଓ ବ୍ଯକ୍ତିବିଶେଷଂକୁ ନେଇ ଇଂରାଜୀରେ ଏକ ଓ୍ବେବ ପତ୍ରିକାରେ ଧାରାବାହିକ ଆଲେଖ୍ଯ ଲେଖୁଛି । ପାଠକ ମହଲରେ ଏହି ଜୀବନ ସ୍ମୃତି ଆଦୃତ ହେଉଛି । ପରେ ଏହା ଏକ ପୁସ୍ତକ ଆକାରରେ ଆଉ କିଛି ଘଟଣା ସହିତ ପ୍ରକାଶିତ ହେବ ।
ପ୍ରଶ୍ନ : ଆପଣ ଏବେ କଣ ପଢୁଛନ୍ତି ବା ନିକଟ ଅତୀତରେ କଣ ପଢିଛନ୍ତି ? ଆପଣଙ୍କୁ ଭଲ ଲାଗିଥିବା ବହି ବା ଲେଖା ସମ୍ପର୍କରେ କୁହନ୍ତୁ।
ପ୍ରଦୀପ ବିଶ୍ବାଳ -ନିକଟ ଅତୀତରେ ମୁଁ ପଢିଥିବା ବହି ଭିତରେ ଅଛି ଅଶୋକ କୁମାର ବଳଂକ ‘Gajapati: A King Without a Kingdom ‘ଏବଂ ଜାପାନୀବାବୁଂକ ‘କଥା ସମାହାର ‘ । ଅଶୋକ ବାବୁ ଗଜପତି ରାଜାମାନଂକୁ କେନ୍ଦ୍ରକରି ତତ୍କାଳୀନ ସମୟ ଓ ସମାଜର ଏକ ନିଷ୍ପକ୍ଷ ଚିତ୍ର ପ୍ରଦାନ କରିଛନ୍ତି । ସେଥିପାଇଁ ସେ ଧନ୍ଯବାଦର ପାତ୍ର । ଜାପାନି ବାବୁଂକ କଥା ସମାହାରରେ ରହିଛି ତାଂକର

ପ୍ରଶ୍ନ : ସାହିତ୍ୟ ପାଇଁ ମାଧ୍ୟମ ବଦଳୁଛି । ଏବେ ଇ -ବୁକ, ଇ -ମ୍ୟାଗାଜିନ୍, ୟୁ ଟୁବ , ଅଡ଼ିଓ ବୁକ, ପଡକାଷ୍ଟ, ଷ୍ଟୋରି ଟେଲିଂ ପ୍ରଭୃତି ମାଧ୍ୟମ ଆସୁଛି । ଏହି ସବୁ ନୂଆ ମାଧ୍ୟମର ଭବିଷ୍ୟତ ବା ଉପଯୋଗୀତା ସମ୍ପର୍କରେ ଆପଣଙ୍କ ମତ କଣ ? ଏଥିପାଇଁ ଆପଣଙ୍କ ପ୍ରସ୍ତୁତି କିପରି ?
ପ୍ରଦୀପ ବିଶ୍ବାଳ -ଆମକୁ ସମୟ ସହ ତାଳ ଦେଇ ଚାଲିବାକୁ ହେବ । ସାମାଜିକ ଗଣ ମାଧ୍ଯମ ବର୍ତମାନ ସମୟରେ ଖୁବ ସକ୍ରିୟ ଓ ଶକ୍ତିଶାଳୀ । ଆମେ ଏହାର ଉପଯୋଗ କରିବା ଆବଶ୍ଯକ । କିନ୍ତୁ ଏହାର ଗୋଟିଏ ଦୁର୍ବଳ ଦିଗ ହେଲା ଏହାର ସଂପାଦନା ହେବାର ସୁଯୋଗ ନାହିଁ କି ଏହାର କେହି ସଂପାଦକ ନାହାନ୍ତି । ସାହିତ୍ଯର ଏ ଏକପ୍ରକାର ଗଣତାନ୍ତ୍ରୀକରଣ । ଅବଶ୍ଯ ପରିଶେଷରେ ସତ୍ ସାହିତ୍ଯ ବଂଚି ରହିବ ।
ପ୍ରଶ୍ନ : ଆପଣଙ୍କୁ ଆପଣଙ୍କ ବୃତ୍ତି କିପରି ପ୍ରଭାବିତ କରେ । ସାହିତ୍ୟରେ ବୃତ୍ତିର ପ୍ରଭାବ ଆପଣଙ୍କୁ କେବେ ବାଧକ ହୋଇଛି କି? ସେ ସମ୍ପର୍କରେ କୁହନ୍ତୁ।
ପ୍ରଦୀପ ବିଶ୍ବାଳ -ଜଣେ ପ୍ରଶାସକର ଜୀବନ ଦୁଇଟି ଦିଗରୁ ମହତ୍ବପୂର୍ଣ । ଏଠି ବୃତ୍ତିଗତ ସମସ୍ଯା ବହୁତ ଏବଂ ସମୟସାପେକ୍ଷ । ତେଣୁ ନିଜ ପ୍ରବୃତ୍ତି ପ୍ରତି ସବୁବେଳେ ସମୟ ଦେବା ସମ୍ଭବପର ହୋଇ ନଥାଏ । ଅନ୍ଯ ପକ୍ଷରେ ପ୍ରତିଦିନ ବହୁ ଘଟଣା ଏବଂ ଚରିତ୍ରକୁ ସାମ୍ନା କରିବାକୁ ହୁଏ । ସେହିପରି କର୍ତବ୍ଯ ଦାୟରେ ବିଭିନ୍ନ ସ୍ଥାନକୁ ଯିବାର ସୁଯୋଗ ମିଳିଥାଏ । ଏହା ଲେଖାଲେଖି ପାଇଁ ଉପାଦାନ ସୃଷ୍ଟି କରିଥାଏ ।
ପ୍ରଶ୍ନ : ପାଠକର ପ୍ରତିକ୍ରିୟା ଲେଖକକୁ ଉତ୍ସାହିତ କରେ । ଆପଣ ପାଠକର ପ୍ରତିକ୍ରିୟା ପାଇଲେ । ଯେହେତୁ ପାଠକକୁ ଭଲ ଲାଗିଛି, ଆପଣ ଆପଣଙ୍କ ପରବର୍ତୀ ଲେଖାକୁ ସେମିତି ବା ପାଠକକୁ ଆହୁରି ଭଲ ଲାଗିବ ବୋଲି ବୁଲାଇ ବଙ୍କାଇ ଦେବାର ଲୋଭରେ ପଡନ୍ତି କି ? ପାଠକର ପ୍ରତିକ୍ରିୟାର ପ୍ରଭାବ କେମିତି ଆପଣଙ୍କ ଉପରେ ?
ପ୍ରଦୀପ ବିଶ୍ବାଳ -ପାଠକୀୟ ପ୍ରତିକ୍ରୀୟାକୁ ମୁଁ ଅତି ସହଜରେ ଗ୍ରହଣ କରିଥାଏ ଏବଂ ଏହାଦ୍ବାରା ବିଶେଷ ପ୍ରଭାବିତ ହୋଇ ନଥାଏ । ମୋ ଲେଖାର ମୌଳିକତା ମୁଁ ଆଜିଯାଏ ବଜାୟ ରଖିଛି ଏବଂ କାହା ଦ୍ବାରା କେବେ ପ୍ରଭାବିତ ହୋଇନାହିଁ ।
ପ୍ରଶ୍ନ : ଆପଣଙ୍କ ଲେଖାଲେଖିର ପ୍ରଣାଳୀ ବିଷୟରେ କୁହନ୍ତୁ ? କେମିତି ଲେଖନ୍ତି? କେତେବେଳେ ଲେଖନ୍ତି? ଲେଖିବାର ପ୍ରାକ ପ୍ରସ୍ତୁତି ସବୁ କଣ ?
ପ୍ରଦୀପ ବିଶ୍ବାଳ -ଲେଖାଲେଖି ପାଇଁ ମୋର କିଛି ଧରାବଂଧା ନିୟମ ନଥାଏ । ଯେତେବେଳେ ଯେମିତି ମନକୁ ଆସେ ମୁଁ ଲେଖିବସେ । ଏମିତି ବି ହୁଏ କିଛିକଥା ମନକୁ ଆସେ ଅଥଚ କର୍ମ ଜଂଜାଳରେ ସେହି ସମୟରେ ମୁଁ ତାହା ଲେଖି ପାରେ ନାହିଁ ଏବଂ ତାହା ଭୂଲିହୋଇ ଯାଏ ।
(ପ୍ରସ୍ତୁତି - ସହଦେବ ସାହୁ)
COMMENTS - 1
Sushanta Kumar Lenka
04-05-2022 / 11:55:53ଆମ ସମୟର ଜଣେ ପ୍ରତିଷ୍ଠତ କବିଙ୍କ ରୁଚି ଓ ଭାବନା ସମ୍ପର୍କରେ ସାକ୍ଷାତକାର ଟି କବିତା ପ୍ରେମୀ ମାନଙ୍କୁ ଅବଗତ କରାଇବ। ସୁନ୍ଦର ପ୍ରୟାସ