ଲଭ କୁଇନ ଅଫ ମାଲାବାର
ପରେଶ ପଟ୍ଟନାୟକ
ସୁପ୍ରସିଦ୍ଧ ଇଂରାଜୀ କବି ତଥା ଗାଳ୍ପିକା କମଳା ଦାସଙ୍କ ଉପରେ ରଚିତ “ଲଭ କୁଇନ ଅଫ ମାଲାବାର”କୁ ଏକ ଭଲ ବହି ବୋଲି କହନ୍ତି ଗାଳ୍ପିକ ପରେଶ ପଟ୍ଟନାୟକ ।
'ଲଭ କୁଇନ ଅଫ ମାଲାବାର ' ବହିଟି ଲେଖା ହୋଇଛି ପ୍ରସିଦ୍ଧ କବି ଓ କଥାକାର କମଳାଦାସଙ୍କ ଉପରେ । କମଳାଦାସ ଦ୍ୱିଭାଷୀ ଲେଖିକା । ସେ ମାଲାୟାଲାମରେ ଲେଖନ୍ତି ମାଧବୀ କୁଟ୍ଟୀ ନାମରେ। ଇଂରାଜୀରେ ଲେଖନ୍ତି କମଳାଦାସ ନାମରେ । ମେରିଲି ଉଈଶବୋର୍ଡ ନାମକ ଜଣେ ବିଦେଶୀ ଲେଖିକା ଏହି ପୁସ୍ତକଟିକୁ ରଚନା କରିଛନ୍ତି । କମଳାଦାସଙ୍କ ସହିତ ତାଙ୍କର ବନ୍ଧୁତା ଓ ତାଙ୍କ କବିତା ପ୍ରତି ଆକର୍ଷଣକୁ କେନ୍ଦ୍ର କରି ।
ଏହି ବହିଟି ପଢିବା ବେଳେ ମୋର ଏକ ବ୍ୟକ୍ତିଗତ ସ୍ମୃତି କଥା ସ୍ମରଣକୁ ଆସୁଛି । ସେହି କାରଣରୁ ବହିଟି ମୋତେ ଅଧିକ ନିଜର ନିଜର ଲାଗିଲା । ଗତ ଶତାବ୍ଦୀର ଶେଷ ଦଶକରେ ଥରେ ଆମେ କେରଳ ଯାଇଥିଲୁ । ମୁଁ ଏବଂ ମୋର ବନ୍ଧୁ ବିଶିଷ୍ଟ କଥାକାର ଗୌରହରି ଦାସ ଭେଟିଥିଲୁ କମଳାଦାସଙ୍କୁ, ତାଙ୍କ ବାସ ଭବନରେ । ସେତେବେଳେ ସେ ଗୋଟିଏ ଫ୍ଲାଟରେ ଏକାକିନୀ ରହୁଥିଲେ । ଫ୍ଲାଟରେ ଉପର ଘରେ ରହୁଥିଲେ ତାଙ୍କର ପୁଅ । ସେ ତାଙ୍କର ଦେଖାଶୁଣା କରୁଥିଲେ ।
ସେତେବେଳକୁ ସେ ମୁସଲିମ ଧର୍ମ ଗ୍ରହଣ କରିନଥିଲେ ଓ କମଳା ସୁରେଈଆ ହୋଇନଥିଲେ । ସେଇଠି ଆମେ ତାଙ୍କ ସହ କଥାଭାଷା ବେଳେ ଜାଣିଲୁ ଯେ ବିଦେଶରୁ ଜଣେ ମହିଳା ଆସିଛନ୍ତି । ସେ କମଳାଦାସଙ୍କ ଉପରେ ବହି ଲେଖୁଛନ୍ତି । ତାଙ୍କର ବାସଗୃହରେ କ୍ୟାମେରା ଲାଗିଥିବାର ଆମେ ଦେଖିଥିଲୁ । ଆମେ ଶୀଘ୍ର ତାଙ୍କଠୁ ବିଦାୟ ନେଇ ଫେରି ଆସିବାକୁ ବାଧ୍ୟ ହୋଇଥିଲୁ । କାରଣ ପରେ ପରେ ସୁଟିଂ ଓ ସାକ୍ଷାତକାର ଆରମ୍ଭ ହେବ ।
କଥାଟିକୁ ମୁଁ ପ୍ରାୟ ଭୁଲିଯାଇଥିଲି। କିନ୍ତୁ “ଲଭ କୁଇନ ଅଫ ମାଲାବାର” ବହିଟି ପଢିଲା ପରେ ମୋର ସେ ସବୁ କଥା ମନେ ପଡିଲା । କାରଣ ସେଦିନ ଯେ ସାକ୍ଷାତକାର ପ୍ରସ୍ତୁତ କରୁଥିଲେ ସେ ଥିଲେ ମେରିଲି ଉଈଶବୋର୍ଡ। ଏହି 'ଲଭ କୁଇନ ଅଫ ମାଲାବାର' ର ଲେଖିକା । ଆଜି ତାଙ୍କ ଚେହେରା ମନେ ପଡୁନାହିଁ । କିନ୍ତୁ ମନେ ପଡୁଛି ସେ ଦିନର କଥା ସବୁ ।
ମେରିଲି ଉଈଶବୋର୍ଡ କାନାଡ଼ାରେ ଜନ୍ମିତ। ସେ ପଢ଼ନ୍ତି କମଳାଦାସଙ୍କ କବିତା। ପ୍ରଭାବିତ ହୁଅନ୍ତି । ଏତେ ଭଲଲଗେ ଯେ, ସେ ଭାରତ ଆସି ଯାଆନ୍ତି କମଳାଦାସଙ୍କୁ ଭେଟିବା ପାଇଁ । ସେଉଠୁ ଆରମ୍ଭ ହୁଏ ବନ୍ଧୁତା। ଯାହା

“ଲଭ କୁଇନ ଅଫ ମାଲାବାର”ରେ ଆମେ ଦେଖୁ, ସେଇ ସବୁ ଦୃଶ୍ୟ, ଯାହା ମାଇଁଷ୍ଟୋରିରେ କମଳା ଦାସ ଲେଖି ପାରିନଥିଲେ। ଯେଉଁ ପାଠକମାନେ କମଳା ଦାସଙ୍କ ଆତ୍ମଜୀବନୀ “ମାଇଁ ଷ୍ଟୋରି” ପଢି ଏକଦା ବିମୋହିତ ହୋଇଥିଲେ, ଯୋଉମାନେ “ମାଇଁ ଷ୍ଟୋରି” କୁ ଅନ୍ୟତମ ବୋଲ୍ଡ ଓ ଅତୁଳନୀୟ ଆତ୍ମଜୀବନୀ ବୋଲି ଭାବନ୍ତି, ସେମାନେ ଏ ବହିଟି ପଢି ନିଶ୍ଚୟ ଚମତ୍କୃତ ହେବେ । “ମାଇଁ ଷ୍ଟୋରି” ପ୍ରଥମେ ପ୍ରକାଶ ପାଇଥିଲା ୧୯୭୩ ରେ ମାଲାୟଲମ ଭାଷାରେ “ଏନ୍ତେ କଥା” ନାମରେ । ଇଂରାଜୀ ଭାଷାରେ ପ୍ରକାଶ ପାଇଲା ୧୯୭୬ ରେ । ସେବେଠାରୁ ଏହା ଭାରତର ଅନ୍ୟତମ ଚର୍ଚିତ ଓ ଆଦୃତ ପୁସ୍ତକ । ଏହି ପୁସ୍ତକରେ ସାକ୍ଷାତକାର ଛଳରେ ମାଇଁଷ୍ଟୋରି ର ଅନେକ ଦୃଶ୍ୟ ମଧ୍ୟ ବିସ୍ତାରିତ ହୋଇଛି । ନୂତନ ତଥ୍ୟ ମଧ୍ୟ ସନ୍ନିବେଶିତ ହୋଇଛି ।
ଏହି ପୁସ୍ତକରେ ଅଛି କମଳାଦାସ ଇସଲାମ ଧର୍ମ ଗ୍ରହଣ କରିବାର କାହାଣୀ। ସେଇ ସମୟ, ସମସ୍ୟା ଓ କେରଳର ଜନସାଧାରଣଙ୍କ ବିରୋଧ ଓ ସମର୍ଥନର ଚିତ୍ର ସବୁ ବେଶ ଜୀବନ୍ତ ହୋଇଉଠିଛି ଏଇ ପୁସ୍ତକରେ । ଉପନ୍ୟାସ ସମ ସବୁ କଥାକୁ ସବିଶେଷ ବର୍ଣନା କରିଛନ୍ତି ଲେଖିକା ଓ ତାହା 'ମାଇଁ ଷ୍ଟୋରି' ର ପରବର୍ତ୍ତୀ ଭାଗ ଭଳି ମନେହୁଏ। ଦୁଇ ଶହ ନବେ ପୃଷ୍ଠାର ଏହି ପୁସ୍ତକଟି ଏକ ଅବଶ୍ୟ ପଠନୀୟ ଦସ୍ତାବିଜ ।
ମତେ ସବୁଠୁ ବେଶି ଉତ୍ସାହିତ କଲା କମଳାଦାସଙ୍କ କବିତାର ଶକ୍ତି। ଯାହା ପଢି, ପ୍ରଭାବିତ ହୋଇ ଜଣେ ବିଦେଶିନୀ ଭାରତ ଆସେ, ତାଙ୍କ ସମ୍ପର୍କରେ ବହିଟିଏ ଲେଖେ। ତାଙ୍କ ସହିତ ବନ୍ଧୁତାର ଡୋରରେ ବାନ୍ଧି ହୋଇଯାଏ। କବିତାର ଏ ସାମର୍ଥ୍ୟ, ଏ ପ୍ରଭାବ କଥା ମତେ ଅବିଶ୍ୱସନୀୟ ଲାଗେ। କିନ୍ତୁ ଏହା ସତ୍ୟ। କୋଉଠି ନା କୋଇଠି କବିତାର ଯେ ଚିହ୍ନରା ପାଠକ ଅଛନ୍ତି, ତାହା ମନେ ପକାଇ ଦିଏ, ପ୍ରମାଣ କରେ । ମୁଁ ଅପେକ୍ଷା କରେ ଆଉ କେଉଁ ବହି ପାଇଁ କେହି କୋଉଠି ଆଜିକାଲି ପାଗଳ ହେଉଛି କି ନାହିଁ ।
COMMENTS - 0